ଅନୁଗୋଳ ୨।୮- ଅନୁଗୋଳ ଜିଲ୍ଲା ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ ରାକ୍ଷୀ I ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ବାସର ବନ୍ଧନକୁ ସୁଦୃଢ କରିଥାଏ I ଏହି ପବିତ୍ର ଅବସରକୁ ଆଖି ଆଗରେ ରଖି ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଏକ ପ୍ରଶଂସନୀୟ ଉଦ୍ୟମ ମାଧ୍ଯମରେ ଭାରତୀୟ ସୀମାରେ ନିୟୋଜିତ ବୀର ସୈନିକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସୁରକ୍ଷା ଓ କୁଶଳତା ପାଇଁ ପ୍ରାର୍ଥନା କରିଛନ୍ତି I

ଏହା ମହାବିଦ୍ୟାଳୟର ଏକ ପରମ୍ପରା ଯେଉଁଥିରେ ଛାତ୍ରୀମାନେ ପ୍ରତିବର୍ଷ ଏହି ଉଦ୍ୟମ ଜାରି ରଖୁଛନ୍ତି । ଯାହା ଦେଶପ୍ରେମ ଓ ଭାଇଚାରାର ଏକ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରୁଛି । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ବହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସୈନିକମାନଙ୍କୁ ପଠାଇବା ସହ ସେମାନଙ୍କ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପ୍ରାର୍ଥନା ଜଣାଇଥିଲେ I ଛାତ୍ରୀମାନଙ୍କ ଏହି ଉଦ୍ୟମ କେବଳ ରାକ୍ଷୀ ପଠାଇବାରେ ସୀମିତ ନ ରହି ଦେଶପ୍ରେମ, ସାମାଜି ମାଜିକ ସଚେତନତା ଓ ଭାଇଚାରାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀମାନେ ସୈନିକମାନଙ୍କୁ ସେମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ସହ ନୂଆ ପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି I ଛାତ୍ରୀମାନଙ୍କ କହିବା ଅନୁଯାୟୀ ଦେଶର ସୁରକ୍ଷା ପାଇଁ ସୈନିକ ମାନେ ଦିନ ରାତି ବୋଡ଼ର୍ ରେ ରହି ଶତ୍ରୁ ମାନଙ୍କ କବଳରୁ ଆମକୁ ରକ୍ଷା କରୁଛନ୍ତି I ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ମଧ୍ଯ ସେମାନେ ନିଜ ଭଉଣୀ ଠାରୁ ଦୂରରେ ରହୁଛନ୍ତି । ତେଣୁ ଆମେ ମାନେ ସେହି ବୀର ଭାଇ ମାନଙ୍କୁ ଆହୁରି ସାହସୀ, ନିଭୀକ ଏବଂ ସୁରକ୍ଷିତ ରଖୂବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ସୁରକ୍ଷା କବଚ ଭାବେ ରାକ୍ଷୀ ପଠା ଯାଇଥିବାର ଏକ ପତ୍ର ମଧ୍ଯ ପଠାଇଛନ୍ତି।