ଆପାର୍ଟମେଣ୍ଟ ହସ୍ତାନ୍ତରରେ ବିଳମ୍ବ ନେଇ ଅସନ୍ତୋଷ : ଆନ୍ଦୋଳନ ଚେତାବନୀ


ଅନୁଗୋଳ ୩।୮-  ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡ ( ଓଏସଏଚବି )ଙ୍କ ଦ୍ୱାରା ଉନ୍ନତ ଅନୁଗୋଳ ଏନକ୍ଲେଭ୍ ଆବାସିକ ପ୍ରକଳ୍ପରେ ସଦସ୍ୟ ମାନଙ୍କୁ ଆବଣ୍ଟିତ ଥିବା ଅପାର୍ଟମେଣ୍ଟର ହସ୍ତାନ୍ତର ବିଳମ୍ବ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ସମ୍ପାଦିତ ବିକ୍ରୟ ଚୁକ୍ତି ଅନୁଯାୟୀ, ଅନୁଗୋଳ ଏନକ୍ଲେଭ ସଦସ୍ୟମାନେ ଚୁକ୍ତିରେ ଉଲ୍ଲିଖିତ ସମସ୍ତ ରାଶି ପ୍ରଦାନ କରିସାରିଛନ୍ତି । ଇତିମଧ୍ୟରେ ବହୁତ ଦିନ ବିତିଯାଇଥିଲେ ମଧ୍ୟ ସଦସ୍ୟ ମାନଙ୍କୁ ଏପର୍ଯ୍ୟନ୍ତ ଅପାର୍ଟମେଣ୍ଟ ହସ୍ତାନ୍ତର ହୋଇନାହିଁ । ଫଳରେ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚୁକ୍ତିରେ ସମସ୍ତ ନିୟମକୁ ହାଉସିଂବୋର୍ଡ ଖୋଲାଖୋଲି ଉଲଙ୍ଘନ କରିଥିବା କଥା ଅଭିଯୋଗ ହୋଇଛି । ଆଜି ହାଉସିଂବୋର୍ଡ , ଅନୁଗୋଳ ଏନକ୍ଲେଭ୍ ର ସଦସ୍ୟ ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଏନକ୍ଲେଭ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଂଯୋଜକ ଆଇନଜୀବୀ ସଞ୍ଜୟ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ସନ୍ତୋଷ ମହାରଣା ଅଧ୍ୟକ୍ଷତା କରିଥିଲେ । ୨୦୨୪ ସେପ୍ଟେମ୍ବର ମାସରେ ସଦସ୍ୟ ମାନଙ୍କୁ ଗୃହ ଆବଣ୍ଟନ ନେଇ ଚୁକ୍ତିନାମା ଲେଖାଯାଇଥିବା ବେଳେ ଏଯାବତ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ଫଳରେ ସଦସ୍ୟ ମାନେ ଗୃହ ପାଇବାରେ ଅହେତୁକ ବିଳମ୍ବ ଘଟିଛି ।
ଏ ସଂପର୍କରେ ଓଡିଶା ହାଉସିଂବୋର୍ଡ ରାଜ୍ୟ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ଏଣୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ , ଜିଲ୍ଲାପାଳ- ଅନୁଗୋଳ , ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ତଥା ଓଡିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତିି ।  ଆଜିର ଏହି ବୈଠକରେ ନକୁଳ ଚନ୍ଦ୍ର ପ୍ରଧାନ , କିଶୋର କୁମାର ବେହେରା, ମଳୟ କୁମାର ପ୍ରଧାନ, ସୁକାନ୍ତ ତରାଇ, ସୁମନ୍ତ କୁମାର ବେହେରା , ସାଗରିକା ସାହୁ, ମମତା ପାଣି, ଲଳିତ ମୋହନ ପଣ୍ଡା, ପ୍ରଭାତ କୁମାର ସାହୁ ଓ ସୁବ୍ରତ ପ୍ରଧାନ ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଉପଭୋକ୍ତା ଯୋଗ ଦେଇଥିଲେ । ଆପାର୍ଟମେଣ୍ଟ ତୁରନ୍ତ ହସ୍ତାନ୍ତର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *