
ଅନୁଗୋଳ ୧୩୲୧୨ – ଅନୁଗୋଳ ଜିଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ପୋଲିସ ଏବଂ ଅଭିଯୋଜନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ବୈଠକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକ ଆୟୋଜନର ମୁଖ୍ୟ ଲକ୍ଷ ଉପରେ ଆଲୋକପାତ କରିଥିଲେ।
ଏଥିରେ ଅଭିଯୋଜନ ବିଭାଗର ଡେପୁଟି ଡାଇରେକ୍ଟର ଗଣେଶ କୁମାର ବେହେରା, ଜିଲା ପବ୍ଲିକ ପ୍ରେସକ୍ୟୁଟର ପ୍ରଶାନ୍ତ କୁମାର ମଲିକ, ବିଭାଗର ଦୁଇ ଉପନିର୍ଦ୍ଦେଶିକା ହରପ୍ରିୟା ସ, ଓ ରୀତା ମିଞ୍ଜ, ଜିଲାର ବହୁ ମାନ୍ୟଗଣ୍ୟ ଆଇନଜୀବୀ ଯୋଗଦେଇ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ। ପୋଲିସ ବିଭାଗର ଦୁଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଏବଂ ଉପାସନା ପାଢି, ଡିଏସସି ଅଶ୍ଵିନି କୁମାର ପଣ୍ଡା, ଲଳିତା ଲାକ୍ରା ଏବଂ ଜିଲାର ସମସ୍ତ ଏସଡିପିଓ ଏବଂ ଥାନା ଅଧିକାରୀ ମାନେ ଯୋଗଦାନ କରି ନିଜ ନିଜର ତଦନ୍ତ ସମୟରେ ଆସୁଥିବା ସମସ୍ୟା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଉପନିର୍ଦ୍ଦେଶକ ଗଣେଶ କୁମାର ବେହେରା ବିଭିନ୍ନ ଅପରାଧର ରହୁଥିବା ଆଇନଗତ ତ୍ରୁଟି କିପରି ସୁଧାର ଆସିପାରିବ ତା ଉପରେ ନିଜର ବହୁ ମୂଲ୍ୟ ମତ ପ୍ରଦାନ କରିଥିଲେ। ନୂତନ ଆଇନ୍ ପ୍ରଣୟନ ଉପରେ କିପରି ଦଣ୍ଡ ହାର ବୃଦ୍ଧି ପାଇବା ସହ ପୀଡିତା କିପରି ତ୍ଵରିତ ନ୍ୟାୟ ପାଇବ, ପ୍ରକୃତ ଅପରାଧିଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ସଠିକ ସମୟରେ ନ୍ୟାୟାଳୟ ରେ ଦାଖଲ ସହ ଅପରାଧିଙ୍କୁ ଦଣ୍ଡ ବିଧାନ କରିବା ଦିଗରେ ପୋଲିସ ଏବଂ ସରକାରୀ ଓକିଲ ମାନଙ୍କର ପ୍ରମୁଖ ଭୂମିକା ଉପରେ ଆଲୋଚନା ହୋଇଥିଲା। ସର୍ବଶେଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ବୈଠକରେ ଯୋଗଦେଇ ସଭା ଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ପୋଲିସ ଏବଂ ଅଭିଯୋଜନ ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିଲେ।


