ଅନୁଗୁଳ ୨।୮– ଅନୁଗୁଳ ଜିଲ୍ଲା ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡ଼ିଆଳ ଛୁଆ ଦେଖୁବାକୁ ମିଳିଛି । ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଏହା ଦେଖୁଥିଲେ । ଏହାଛଡା ସେଠାରେ ଲଗାଯାଇଥୂବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମା’ର ଫୋଟୋ ମଧ୍ଯ ଉତ୍ତୋଳନ ହୋଇଛି । ଏହା ଦେଖିବା ପରେ ସେଠାରେ ବନ କର୍ମଚାରୀ ମାନେ ସ୍ବତନ୍ତ୍ର ଭାବେ ଧ୍ଯାନ ଦେଉଛନ୍ତି ।

ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ମାନେ ଯିବା ଉପରେ କଟକଣା ଲଗା ଯାଇଛି । ଘଡ଼ିଆଳ ଛୁଆ ମାନଙ୍କୁ ମା ଘଡ଼ିଆଳ ଜଗି ରହିଛି ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶବିତ ମାନେ କହିଛନ୍ତି । ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି । କାରଣ ଦୀର୍ଘ ୪୦ ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ୨୮ ଟି ଛୁଆ ଅଣ୍ଡା ଫୁଟି ବାହାରିଥିବା ଦେଖୁବାକୁ ମିଳିଥିଲା । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଛନ୍ତି । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା ।